ଅଚ୍ଛେଦିନକୁ ଆଖି ଠାର | ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହେଇ ବଢୁଛି


 ଦେଶରେ ଏବେ ପେଟ୍ରୋଲ ଆଉ ଡିଜେଲ ଦର ହୁ ହୁ ହେଇ ବଢିବାରେ ଲାଗିଛି । ଏହାର ପ୍ରଭାବ ପଡିଛି ସାଧାରଣ ଜନତାଙ୍କ ଉପରେ । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଖୁବ କମ ଥିବା ବେଳେ ଭାରତରେ ତାର ସୁଯୋଗ ପାଇ ପାରୁନାହାନ୍ତି ସାଧାରଣ ନାଗରିକ । ଦେଶରେ ସରକାରଙ୍କ ଏହି ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଦେଖିବାକୁ ମିଳୁଛି । ସରକାର ୨୦୧୭ ଜୁନ ୧୬ ତାରିଖ ପରଠାରୁ ଦେଶରେ ପ୍ରତିଦିନ ତୈଳ ମୂଲ୍ୟ ସଂଶୋଧନ କରିବା ଆରମ୍ଭ କରିଛନ୍ତି । ସରକାରଙ୍କ କହିବା ଅନୁଯାୟୀ ପ୍ରତିଦିନ ତୈଳ ମୂଲ୍ୟରେ ସଂଶୋଧନ ହେଲେ ଗ୍ରାହକ ଏହାର ଭରପୁର ଫାଇଦା ଉଠାଇପାରିବେ, କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତୈଳ ଦର କମିବାର ନାଁ ଧରୁନାହିଁ । ଗ୍ରାହକଙ୍କ ଅଜାଣତରେ ବଢିବାକୁ ଲାଗିଛି ଏହି ପେଟ୍ରୋଲ ଓ ଡିଜେଲର ମୂଲ୍ୟ । ଜୁନ ୧୬ ପରଠାରୁ ତୈଳ ଦର ୬ ରୁ ୭ ଟଙ୍କା ବୃଦ୍ଧି ପାଇଛି । ଏହି ମହଙ୍ଗା ମାଡ ସାଧାରଣ ଖାଉଟିଙ୍କୁ ପ୍ରଭାବିତ କରିଛି ।

 ଗତ ତିନି ବର୍ଷରେ ଏହା ସବୁଠାରୁ ଅଧିକ ମୂଲ୍ୟ ବୋଲି ଜଣାପଡିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଦେଶରେ ସବୁଠାରୁ ଅଧିକ ୭୯.୪୧ଟଙ୍କାରେ ପହଞ୍ଚିଛି । ଫଳରେ ମୋଦୀ ସରକାରରେ ତୈଳ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ବୋଲି ଚର୍ଚ୍ଚା ଚାଲିଛି । ଏବେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ୫୨ ଡଲାର ଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ଏତେ ଅଧିକ ରହିବା ଉପଯୁକ୍ତ ନୁହ ବୋଲି ସାଧାରଣ ଜନତା ମନେ କରୁଛନ୍ତି । ଏହି ସମୟରେ ସମସ୍ତ ବିଜେପି ଶାସିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଓଡିଶା ଠାରୁ ନିଶ୍ଚିତ ଭାବେ ଅଧିକ ଅଛି । ଓଡିଶାରେ ପେଟ୍ରୋଲ ଦର ୬୯.୧୭ ଟଙ୍କା ଥିବା ବେଳେ ମୁମ୍ବାଇ ୭୯.୪୧ଟଙ୍କା, ଗୁଜୁରାଟ ରେ ୭୩ ଟଙ୍କା ଓ ବିହାର ରେ ଏହି ମୂଲ୍ୟ ୭୫.୬୪ ଟଙ୍କାରେ ପହଞ୍ଚିଛି । ୨୦୦୯-୧୦ ରେ ଉପା ସରକାର ସମୟରେ ଆନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୧୪ ଡଲାର ଥାଇ ପେଟ୍ରୋଲ ୬୦ ଟଙ୍କା ମଧ୍ୟରେ ସୀମିତ ଥିଲା । କିନ୍ତୁ ଏନଡିଏ ସରକାର ସମୟରେ  ଆନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୫୨ ଡଲାର ଥାଇ ମଧ୍ୟ ତୈଳ ଦର କମିବାର ନାଁ ଧରୁନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି । ଯଦି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ଏହିଭଳି ଭାବେ ବୃଦ୍ଧି ପାଇବ ତେବେ ସଂଶୋଧନରେ ସଂସ୍କାର ଆଣିବା କଥା ଚିନ୍ତା କରୁଥିବା ସରକାର ଏଥିରେ ବିଫଳ ହେବା ସୁନିଶ୍ଚିତ ।

 କିଛି ଦିନ ପୂର୍ବରୁ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏବେ କୌଣସି ମତେ ପେଟ୍ରୋଲ କିମ୍ବା ଡିଜେଲ ଦର କମିବାର ନାହିଁ । ଯାହାକୁ ନେଇ କେନ୍ଦ୍ରର ଏନଡିଏ ସରକାର ଉପା ସରକାର ସମୟରେ ବହତ ହୁଆ ମହଙ୍ଗାଇ କା ମାର, ଅବକି ବାର ମୋଦୀ ସରକାର ବୋଲି ନାରା ଦେଉଥିଲେ, ଏବେ ସେଇ ମହଙ୍ଗାଇ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି ବୋଲି ଚର୍ଚ୍ଚା ଚାଲିଛି । 
ଅଚ୍ଛେଦିନକୁ ଆଖି ଠାର | ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହେଇ ବଢୁଛି ଅଚ୍ଛେଦିନକୁ ଆଖି ଠାର | ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହେଇ ବଢୁଛି Reviewed by Kalinga Express on September 12, 2017 Rating: 5

No comments