ଏ ବୁଢାଟା ମୁଣ୍ଡ ବିଗିଡି ଗଲାଣି | ମୋତେ ଯାହା ହନ୍ତସନ୍ତ କରି ମାରୁଛି


ଏ ବାୟା ବଡବା' ..ଆ ଏବେ ଘରକୁ ଯିବା । ଦେଖୁନୁ ଆଉ ଟିକେ ପରେ ରାତି ହେବ ମୋତେ ଡର ଲାଗିଲାଣି ।
ନା' ନା' ତୁ ଯା ଯା , ତୋ ବଡବୋଉ ଉଠିଲେ ମୁଁ ଯିବି । 
ହେ....ଏ ବୁଢାଟା ମୁଣ୍ଡ ବିଗିଡି ଗଲାଣି ! ମୋତେ ଯାହା ହନ୍ତସନ୍ତ କରି ମାରୁଛି ।

 ବାୟା ଓରଫ ବାଇଧର ସାମଲ । ଅଭିଶପ୍ତ ଜୀବନଟେ ପାଇଛି ବୁଢା ଲୋକଟା । ଏତେ ଦୁଃଖ ! ମହାପ୍ରଭୁ କାହିଁକି ଦେଉଛି କେଜାଣି ? ତା' ପାଖକୁ ନେଇଗଲେ ହୁଅନ୍ତାନି । ଏବେ ତ କେତେ କଣ ଏ ନଈ କୂଳିଆ ଗାଁଟି ଦେଖୁଛି ହେଲେ ବାୟା ବଡବା' ଯେବେ ଜନ୍ମ ହୋଇଥିଲା , ଏଠି କିଛି ନଥିଲା ।ଗାଁ କହିଲେ କୋଡିଏ ପଚିଶ ଘରକୁ ନେଇ ଥିଲା । ପିଂ ସନ' କିଛି ନା କିଛି ମହାପ୍ରୁଙ୍କ ତାଣ୍ଡବ ଚାଲେ କହିଲେ ଚଳେ , କେତେବେଳେ ବଢି ଆସିଲାଣି ତ କେତେବେଳେ ଗହିର ଟା ପାଂଟିକି ଆଁ କଲାଣି । ସେହି ସମୟରେ ବାୟା ବଡବା' ଜନ୍ମ ହୋଇଥିଲା , ହତ କପାଳିଆଟା ! ଜନ୍ମ ହେଉ ହେଉ ମା' କୁ ଖାଇଲା । ତା ବୋପା ଆଉ ଗୋଟେ ବାହା ହେଲା । ଜନ୍ମ କଲା ମା' ସିନା ମା' ସାବତ ମା' କଣ ମା' ପରି ହେବ ! ଲୋକେ କୁହନ୍ତି ବାୟା ବଡବା' ଟା ତା ପିଲା ବେଳେ ଭାତ କମ ମାଡ ବେଶି ଖାଇଛି । ବୋପାଟା ଭି ଆଡ ଆଖିରେ ଦେଖିଲାନି , ତାକୁ ଯେତେବେଳେ ବାର ବରଷ ହୋଇଥିଲା କାହାକୁ କିଛି ନ କହି କଲିକତା ପଳେଇଲା । ସେ ଗଲା ପରେ ପରେ, କିଛି ବରଷ ପରେ ବଢି' ଆସିଲା ଯେ' ତା ସାବତ ମା' ଆଉ ତା ପିଲା ଦୁହେଁଯାକ ସାପ କାମୁଡାରେ ଉପରକୁ ଗଲେ । ଗାଁରୁ କିଏ ଜଣେ ବାୟା ବଡବା' କୁ ହାଉଡା ପୋଲ ପାଖ ହୋଟେଲରେ ଦେଖି ଖବର ଦେବାରୁ ବଡବା' ଗାଁ କୁ ପଳେଇ ଆସିଲା । ତା ବୋପା ମଲାଯାଏ ଖୁ .. ସେବା କରିଛି ସେ । ବଡ ବୋଉ ଆମର ଆମରି ଗାଁ କଣ୍ଡୁରି ଜେଜେ ଝିଅ । ପ୍ରସ୍ତାବ ପଡି ବା' ଆମର ବଡ ବୋଉକୁ ଘରକୁ ଆଣିଥିଲା । ଦିନ କେଇଟା ହସିଛି ବଡବା'...... ତା ପରେ ପୁଣି କଳାହାଣ୍ଡିଆ ମେଘ ପରିକା ତା ଜୀବନରେ ଖାଲି ଦୁଃଖ ଗୁଡାକ ଦେଖିଛି ଯାହା ।ଜିତୁ ଭାଇ ଜନ୍ମ ହେଉ ହେଉ ବଡ ବୋଉ ପକ୍ଷିଆ ବେମାରରେ ଘୋଷାରି ହେଲା । ବଡବା' ବିଲ କାମ ଦେଖିବ ତ ମା' ଛୁଆଙ୍କ କଥା ମଧ୍ୟ । ଅଧା ସମୟ ରୋଷେଇ ତ ବଡବା' କରିଛି । ସେହି କଷ୍ଟରେ ଥାଇ ଜିତୁଭାଇକୁ ଆମ ଗାଁ ଭିତରୁ ଗୋଟେ ସରକାରୀ ବାବୁ କରେଇଲା ସିନା ହେଲେ ସେଇଟା ବି ଧପାବାଜିଆ ବେଇମାନ ଟା , ଚାକିରି କଲା ପରେ ସେଆଡେ କୁଆଡେ ସଂସାର କଲା ଆଉ ବଡବା' ବଡ ବୋଉକୁ ଅନେଇଲାନି । ତଥାପି ବଡବା' କିଛି କୁହେନି ବରଂ ବେଳେ ବେଳେ ଚୁଡା ଚାଉଳ ବସରେ ପଠେଇ ଦିଏ । ଗତ ବରଷ ବୁଢିଟା ପଡି ପଡି ମଲା ଯେ ପୁଅଟା ଆସିବ କଣ ! ବୁଢା ଗଲା ଯେ ତା ହାତରେ ଟଙ୍କା ହଜାରେ ଦେଇ ବିଦା କରିଦେଲା । ସେବେଠୁ ବୁଢା ଆଉ ତା' କଥା କାହା ଆଗେ କୁହେନି । ବୁଢି ଏକାଦଶକୁ ଆସିଥିଲା ହେଲେ ବୁଢା ତାକୁ ପଇସାଟେ ଖର୍ଚ୍ଚ କରେଇ ଦେଲାନି କହିଲା ତୋ ପାଖେ ପଇସା ନଥିବ ! କେତେ ଲୋକ ଏମିତି ଖାଇବେ ଯେ , ମୁଁ ସମ୍ଭାଳି ଦେବି । ଏକାଦଶ ପରେ ବୁଢାକୁ ସାଙ୍ଗରେ ନେବା ପାଇଁ ଜିତୁ ଭାଇ କହିଲାରୁ ବୁଢା କହିଲା ତୋର ସିନା ମା' କୁ ଦେଖିବାକୁ ସମୟ ହେଲାନି ହେଲେ ସେ ମୋ ସ୍ତ୍ରୀ ତାକୁ ଛାଡି ମୁଁ କୁଆଡେ ଯିବିନି । ତୁ ଯା ମୁଁ ମଲେ କିଏ ତୋତେ ଖବର ଦେଇଦେବେ , ସମୟ ହେଲେ ଆସିବୁ !! ସେବେଠୁ ପ୍ରତିଦିନ ସଂନ୍ଧ୍ୟାରେ ଏଇଠି ବଡବୋଉ ସମାଧି ପାଖେ ବସେ , କାହା ସାଙ୍ଗେ ବେଶି କଥା ହୁଏନି । ଯିଏ କେହି ପଚାରିଲେ ସମାଧି ଆଡକୁ ହାତ ଦେଖେଇ କହିବ " ବଡ ବୋଉ ଶୋଇଛି ପାଟି କରନା ତା ଦେହ ଭଲ ନାହିଁ " ..............!!!!
ଏ ବୁଢାଟା ମୁଣ୍ଡ ବିଗିଡି ଗଲାଣି | ମୋତେ ଯାହା ହନ୍ତସନ୍ତ କରି ମାରୁଛି ଏ ବୁଢାଟା ମୁଣ୍ଡ ବିଗିଡି ଗଲାଣି | ମୋତେ ଯାହା ହନ୍ତସନ୍ତ କରି ମାରୁଛି Reviewed by Kalinga Express on September 23, 2017 Rating: 5

No comments