ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜନ୍ମ ସମୟର କଥା କହିଲେ ଡାକ୍ତର: Kalinga Express


କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ପ୍ରସବ କରାଇଥିବା ଡାକ୍ତର କହିଲେ କେମିତି ଥିଲା ସେ ସମୟ । କଳିଙ୍ଗ ଏକ୍ସପ୍ରେସକୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଜଣାଇଥିଲେ କେମିତି ଥିଲା ସେ ସମୟର ଅନୁଭୂତି ଓ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା । ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁରର ଶ୍ରୀ ସ୍ଵପ୍ନେସ୍ଵର ବେହେରା କଟକ ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜରୁ ଡାକ୍ତରୀ ପଢା ପରେ ପୋଷ୍ଟିଙ୍ଗ ହୋଇଥିଲେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କନ୍ଧମାଳରେ ।
  ୨୦୧୫ ଏପ୍ରିଲ ମାସର କଥା । ସେଦିନ ଜଣେ ପ୍ରସୂତି ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାପରେ ଡାଃ. ବେହେରା ପ୍ରଥମେ ତାଙ୍କର ପରୀକ୍ଷା କରିଥିଲେ । ଅନ୍ୟ ପ୍ରସୂତି ମାନଙ୍କ ଅପେକ୍ଷା ଜଗା କାଳିଆଙ୍କ ମା ଙ୍କ ଠାରେ କିଛି ଭିନ୍ନ ଲକ୍ଷଣ ଦେଖାଦେଇଥିଲା ବୋଲି ସେ କହିଛନ୍ତି । କିଛି ସମୟ ଅପେକ୍ଷା ପରେ ପ୍ରଥମ ପିଲା ଜନ୍ମ ନେଇଥିଲା ଏବଂ ଏକ ସମୟରେ ଦ୍ଵିତୀୟ ପିଲା ମଧ୍ୟ ଜନ୍ମ ନେଇଥିଲା । ଏମିତି ଯୋଡା ମୁଣ୍ଡ ଶିଶୁଙ୍କୁ ଦେଖି ପ୍ରଥମେ ସେ ଏବଂ ତାଙ୍କର ସହକର୍ମୀ ଦିଦି ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ସେ କହିଛନ୍ତି । ପ୍ରଥମ ପିଲାଟି ଜନ୍ମ ହେବା ପରେ ତାର ଚର୍ମର ରଙ୍ଗ ନୀଳ ଦେଖାଯାଉଥିଲା ଏବଂ ସେ କାନ୍ଦୁ ନଥିଲା । କିନ୍ତୁ ହଠାତ ଦ୍ଵିତୀୟ ପିଲାଟି କାନ୍ଦିବା ଆରମ୍ଭ କଲା, ତାର ଠିକ କିଛି ସମୟ ପରେ ପ୍ରଥମ ପିଲାଟି ମଧ୍ୟ କାନ୍ଦିଥିଲା ବୋଲି ସେ କହିଛନ୍ତି ।


  ପିଲା ଦୁଇଜଣଙ୍କର ଜନ୍ମ ପରେ ତାର ବାପା ମା ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଇଥିଲେ, ତାଙ୍କ ଠାରେ ହସଖୁସି ସତେ ଯେମିତି ଲିଭି ଯାଇଥିଲା । ଏଭଳି ଦୁଇ ପିଲାଙ୍କୁ ନେଇ କେମିତି ପାଳିବେ କଣ କରିବେ ବୋଲି ତାଙ୍କ ବାପା ମା ଚିନ୍ତାଗ୍ରସ୍ତ ଅବସ୍ଥାରେ କହୁଥିଲେ । ଡାଃ. ବେହେରା ଏବଂ ତାଙ୍କ ସହକର୍ମୀଙ୍କ ଆଶ୍ଵାସନା ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହାଯ୍ୟ ମିଳିପାରିବ ଅସ୍ତ୍ରୋପଚାର ପାଇଁ କହିବା ପରେ ସେମାନେ ଆଶ୍ଵସ୍ଥି ହେଇଥିଲେ ବୋଲି ସେ କହିଛନ୍ତି ।

  ଏବେ ଦିଲ୍ଲୀର ଏମ୍ସରେ ଜଗା କାଳିଆଙ୍କର ସଫଳ ଅସ୍ତ୍ରୋପଚାର ହୋଇ ଯୋଡା ମୁଣ୍ଡ ଅଲଗା ହେବା ପରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ତାଙ୍କର ମଙ୍ଗଳ କାମନା କରିବା ସହ ମୁଖ୍ୟମନ୍ତ୍ରୀ ଓ ଜଗା କାଳିଆଙ୍କ ବାପା ମାଙ୍କ ଚେଷ୍ଟା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଲା ବୋଲି ସାକ୍ଷାତକରରେ କହିଛନ୍ତି । ପିଲା ଦୁଇଟିକୁ ସାହାଯ୍ୟ ସହଯୋଗର ହାତ ବଢାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜନ୍ମ ସମୟର କଥା କହିଲେ ଡାକ୍ତର: Kalinga Express ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜନ୍ମ ସମୟର କଥା କହିଲେ ଡାକ୍ତର: Kalinga Express Reviewed by Kalinga Express on October 29, 2017 Rating: 5

1 comment

  1. 100%right,drmohapatra mo chc madhya thile

    ReplyDelete